ଆସିଛି ଚାଲି ମୁଁ ଅଫେରା ବାଟରେ
ଫେରିବାର ନାହିଁ ଆଉ
ଅନୁଭୂତି ସବୁ ମନ ମୋ ଲିଭାଏ
ସ୍ମୃତି ସବୁ ରହିଥାଉ
ମୋର କଲା କର୍ମ ମୋ ଶେଷ ସମ୍ବଳ
ଧନ ଜନ ନୁହେଁ ସାକ୍ଷୀ
କିଏ ମୋ ନିଜର ଆଉ କିଏ ପର
ବାରିନିଏ ଦୁଇ ଆଖି
ମୁଁ ଆଉ ତୁ, ତୁ ଆଉ ମୁଁ
କିଏ ବଡ କିଏ ସାନ
ମୃତ୍ୟୁ କୋଳେଇଲେ ଦେହ ଭାରି ହେଲେ
ସମସ୍ତେ ଶବ ସମାନ
ଗର୍ବ ଅଂହକାର କି ଅବା ଦରକାର
ଅଲୋଡା ହେବ ସମ୍ପତ୍ତି
ଛ ଖଣ୍ଡ ବାଉଁଶ ଛିଣ୍ଡା ମଶିଣା ରେ
ହୋଇଯିବ ତୋର ଇତି
ମିଛ ରାଗ ରୁଷା ମିଛ ପ୍ରେମ ସବୁ
ମିଛ ଏଠି ଅଭିମାନ
ମିଛେ ଖାଲି ଏଠି କାନ୍ଦନ୍ତି ସଭିଏଁ
ରଖିବାକୁ ତୋର ମନ
ସ୍ବାର୍ଥ ପାଇଁ ସବୁ ଆସିବେ ପାଖକୁ
ହୋଇଯିବେ ଆପଣାର
ସରିଗଲେ ସ୍ବାର୍ଥ କରିବେ ଭେଳିକି
ଦୂରୁ କରି ନମସ୍କାର
କିଏ ଚିହ୍ନା ଏଠି କିଏ ବା ଅଚିହ୍ନା
ସବୁତ ମଣିଷ ଜାତି
ଘୁଷୁରୀ କୁ ଦେଲେ ସ୍ବଛ ପାଣି,ଫଳ
ହୁଏନି ତା ଆତ୍ମା ଶାନ୍ତି
ବେଳ ଥାଉ ଥାଉ ହୋଇ ସାବଧାନ
ସମସ୍ତଙ୍କୁ ଦେଲେ ଆସ୍ବସ୍ତ ଜୀବନ
କରୁଯଦି ଭଲ କାମ
ମଲା ପରେ ତୁହି ତୋର ନାମ ଧରି
କରିବେ ଜନ ସମ୍ମାନ