Tuesday, September 1, 2020

ମୋ ବାପା'

ଆଜି ବି ଜିଇଁଛି ତୁମ ପରିଚୟେ
ତୁମେ ମୋର ଆତ୍ମବଳ 
କିଏ ହେବ କୁହ ତୁମ ସରି ସତେ 
ସ୍ବାର୍ଥ ଆଗେ ଏ କଳିକାଳ 

ଚାଲୁଛି ଆଜିବି ତୁମ ଆଦର୍ଶ ରେ 
ଦେଇ ନାହିଁ ପଛଘୁଞା 
ତୁମ ହାତ ଥିଲେ ମୋ ମଥାରେ ସଦା 
ଲୋଡା ନାହିଁ ଦିଅଁ ପୂଜା 

ଜନ୍ମ ରୁ ଅଧୁନା ଦେଇଅଛ ତୁମେ 
ଅଦେଖା ସ୍ନେହ ମମତା
ଆଜି ବି ନ କହି ସାଉଁଟି ଦେଉଛ
କହେ ତୁମ ନୀରବତା 

ପାଷାଣ କେବଳ ଉପର ମନରେ 
ଭିତରେ ଭାବନା ଭରା 
କିଏ ଅଛି ଏଠି ମିଛ ଦୁନିଆରେ 
ମୋ ବାପାଙ୍କ ସରି ପରା 

ନିଜ କଥା କେବେ ନ ଭାବି ଆଗୁଆ 
ମୋ ପାଇଁ କରନ୍ତି  ଚିନ୍ତା 
ଦୂନିଆ ରେ ଯେତେ ବଡ ଯିଏ ହେଉ
ପୁତ୍ର ପାଇଁ ଶ୍ରେଷ୍ଠ ପିତା 

ହାତ ଧରି ମୋର ଶିଖାଇଛ ଚାଲି 
ଝୁଣ୍ଟିଲେ ନିଅ କୋଳେଇ 
ସାରା ଦୁନିଆକୁ ଚିହ୍ନେଇଛ ତୁମେ 
ମୋତେ କାନ୍ଧ ରେ ବସାଇ 

ଅଳି ଅର୍ଦ୍ଧଳି ମୋ ସବୁ ସହିଅଛ 
ତୁମ ସ୍ବଳ୍ପ ରୋଜଗାରେ 
ଧନ୍ୟବାନ ହେଲି ମୁଁ ଏଇ ଜନ୍ମେ 
ଜନମି ତୁମ କୋଳରେ

ଲୋଡା ନାହିଁ ମୋର ଧନ କି ସମ୍ପତ୍ତି 
ଲୋଡା ନାହିଁ ରାଜଉଆସ 
ମୋ ବାପା ହୁଅନ୍ତୁ ଦୀର୍ଘାୟୁ ମୋ ଠାରୁ 
ଚିର ରହୁ ଓଠେ ହସ

ତୁମେ ପ୍ରେରଣାର ଉତ୍ସ 
ହେ ମହାପୁରୁଷ 
ଜୀବନ୍ତ ଦେବତା ମୋର 
ନଇଁବନି କେବେ ମଥା ଯେ ତୁମର 
ଆଶୀର୍ବାଦ ମୋତେ କର



No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...