Thursday, August 6, 2020

ସହରୀ

କେମିତି କା ଯୁଗ ହେଲା
ବାପ ଘୁରି ବୁଲେ ଘର ଘର ଏଠି
ପୁଅ ଧରି ବୁଲେ ଲୈଲା

ପାଳିନାଳି ଯିଏ ବଡ କରିଥିଲେ
ସିଏ ହେଲେ ଆଜି ପର
କାଲି ଆସି ଥିବା କନିଆଁ ଖଣ୍ଡକ
ହୋଇଯାଏ ଆପଣାର

ସ୍ବାର୍ଥ ପାଇଁ ଏଠି ପୁଅ ଛାଡି ଯାଏ
ମା ହୁଏ ହତାଦର
ସେଇ ମା ଦିନେ ବଡ କରିଥିଲା
ଭୁଲି ତା ନିଜ ଉଦର

ବାପ ଯେ ତାହାର ଦେଖିଥିଲା ସ୍ବପ୍ନ
ଶାନ୍ତି ରେ କଟିବ ତା ବୃଦ୍ଧକାଳ
ପୁଅ ତାର ଆଜି ମୁଁହ ମୋଡିଦିଏ
କହେ ନିଜ କଥା ନିଜେ ସମ୍ଭାଳ

ଭାଇ ଭଉଣୀ ଯେ ଅଚିହ୍ନା ଲାଗନ୍ତି
ପରିବାର ଲାଗେ ବିଷ
ମନେ ଥାଏ ଭରି କେମିତି ଦେଖିବି
ନିଜ ପିଲାଛୁଆ ହସ

ଗାଁ ଗଣ୍ଡା ପାଇଁ ସମୟ ତ ନାହିଁ
ସେ ଆଜି ସହର ମୁହାଁ
ସାଇ ପଡିଶା ଯେ ହେଲେ ସାତ ପର
ପରଦେଶ ତାର ସାହା

ନିଜ ଜନ୍ମ ମାଟି ଚାହିଁଛି ଲେଉଟି
ହେଲେ କୁହେ ସେ ଗାଉଁଲି
ଭୁଲି ଗଲା କି ସେ ଗାଁ ରେ ଜନମ
ଏନ୍ତୁଡି ତା ଥିଲା ବୋଲି

କେମିତି ଭୁଲିଲା ଗାଁ ଚାଟଶାଳୀ
ରଜ ପର୍ବ ର କବାଡି
ଭୁଲି ଗଲା କି ସେ ଗୁଣ୍ଡି ବୁଢୀ ଗପ
ଶଶୀ ସାର୍ ଙ୍କ ବାଡି

ମନେ ନାହିଁ ତାର ଗାଁ ଆମ୍ବ ତୋଟା
ପୋଖରୀ ର ମାଛଧରା
ଅବା ଭୁଲି ଗଲା ଗାଁ ର ଗହୀର
ଖରାଦିନ ନଇ ପହଁରା

ଗାଁ ଯାନିଯାତ ଗାଁ ର ସଂଗାତ
ମନେ ପଡନ୍ତିନି ଅବା ଜାଣି ସେ ଅଜଣା
ବୋଧେ ଭୁଲିଗଲା ମନେ ରଖିଥିଲା
ଭଉଣୀ ରାକ୍ଷୀ ପାଉଣା

ଆଜିର ମଣିଷ ସତେ ବିକଶିତ
ବିକାଶର ଦିଏ ନାରା
ଭୁଲି ଯାଏ କିଆଁ ଗାଁ ରୁ ଆରମ୍ଭ ଗାଁ ରେ ଯେ ଶେଷ
ତାର ଏ ବିକାଶ ଧାରା


No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...